Sunday, January 27, 2019

PHERIAA COME BACK - FILM OF JAYANT SANTRA


                                                ଫେରିଆ ଜୟନ୍ତ ସାନ୍ତରାଙ୍କ ଫିଲ୍ମ

A SCENE FROM PHERIAA COME BACK AND ACTOR > DEVADUTTA PRADHAN> PRITIRAJ SATPATHY>JAYANT SANTRA

() ମୁକ୍ତି ଲାଭ ଅପେକ୍ଷାରେ ଥିବା ସୁମା ରିୟଲ ମିଡିଆର ପ୍ରଥମ ଫିଲ୍ମ ଫେରିଆରେ କିଛି ଏମିତି କଳାକାରଙ୍କୁ ଦେଖିବାକୁ ମିଳିବ ଯେଉଁମାନେ ଅଭିନୟ କ୍ଷେତ୍ରରେ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ମଧ୍ୟ ଫିଲ୍ମ ଫେରିଆ ସେମାନଙ୍କ ପାଇଁ ଏକ ନୂଆ ପରିଚୟ ହୋଇପାରିଛି। ଏହି କଳାକାରଙ୍କ ମଧ୍ୟରୁ ଜୟପୁରର ପ୍ରତିଷ୍ଠିତ ମଞ୍ଚ ଅଭିନେତା ଜୟନ୍ତ ସାନ୍ତରା ଅନ୍ୟତମ। ପୂର୍ବରୁ ପାହାଡ଼ର ଲୁହ, ପେନସନ, ଚଣ୍ଡାଳ, ଅଲୋଡ଼ା ଭଳି ଫିଲ୍ମରେ ଅଭିନୟ କରିସାରିଥିବା ଜୟନ୍ତ ସାନ୍ତରା, ଦକ୍ଷିଣ ଓଡ଼ିଶାର ଥିଏଟର ଜଗତର ଜଣେ ଜଣାଶୁଣା ନାଁ।  ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ଫିଲ୍ମ ଫେରିଆରେ ଜୟନ୍ତ ଦୁର୍ଯ୍ୟା ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ଏଥିରେ ଭିଲେନ ଭାବେ ଦେଖିବାକୁ ମିଳିବ। ଗାଁର ଜଣେ ଦୁଷ୍ଟ ପରିବାର ଭାବେ ଦୁର୍ଯ୍ୟା ଓ ତାର ପତ୍ନୀକୁ ଫିଲ୍ମରେ ଦେଖିବାକୁ ମିଳିବ। ଯେଉଁଥିରେ ମୁଖ୍ୟ ଚରିତ୍ର ପ୍ରକାଶ ସହିତ ତାଙ୍କର ଜମିଜମା , ପାରିବାରିକ ସଂପର୍କ ଓ  ମାନସିକ ସ୍ତରରେ ଏକ ପ୍ରକାରର ଟକରାଟକରି ରହିଛି।
            ଜୟନ୍ତଙ୍କ ଅଭିନୟ ଜୀବନ ଶିଶୁ କଳାକାର ଭାବେ ଆରମ୍ଭ ହୁଏ। ସେତେବେଳେ ଆକାଶବାଣୀ ଜୟପୁର ଦ୍ବାରା ନିର୍ମିତ ବେତାର ନାଟକରେ ସେ ଶିଶୁ କଳାକାର ଭାବେ ଅବତୀର୍ଣ୍ଣ ହୋଇଥିଲେ। ଏହାପରେ ଆକାଶବାଣୀ ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ହୋଇଯାଇଥିଲେ। ତାଙ୍କ ଅଭିନୀତ ବେତାର ନାଟକ ମଧ୍ୟରୁ ରାସ୍ତା, ଅନ୍ଧ ପ୍ରତିବିମ୍ବ, କାଗଜ ଫୁଲର ରଙ୍ଗ, ଯାତ୍ରୀ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛି।
ନିଜ କଲେଜ ଜୀବନରେ ବିକ୍ରମ ଦେବ ମହା ବିଦ୍ୟାଳୟ ନାଟ୍ୟ ସଂପାଦକ ନିର୍ବାଚିତ ହୋଇଥିଲେ ଜୟନ୍ତ। ସେତେବେଳେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କୃତ ହୋଇଥିଲେ। ଏହାପରେ ପରେ ନାଟକ ନିଶାରେ ସେ ଯେମିତି ସବୁକିଛି ଭୁଲିଗଲେ। ଚୌଧୁରୀ ବିକାଶ ଦାସଙ୍କ ନିର୍ଦ୍ଦେଶିତ ଆମେ ସବୁ ଧ୍ରୁତ ରାଷ୍ଟ୍ରରେ ତାଙ୍କୁ ଏକ ବଳିଷ୍ଠ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାବାଦ, ଦେବଯାନୀ, ମାତୃପୂଜା, ବିଷକନ୍ୟା, ରାମଦାସ ତୁମେ ହାରିଗଲ, ଲୁଲୁବାୟାରେ ସେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି।
ଫେରିଆ, କମ୍‌ ବ୍ୟାକ୍ ଫିଲ୍ମର ଏକାଧିକ ଚରିତ୍ରଙ୍କର ଡାଏଲଗ କୋରାପୁଟିଆ ଭାଷାରେ ରହିଛି।  ଆଉ ଏହି କୋରାପୁଟିଆ ଭାଷାର ଡାଏଲଗ ଜୟନ୍ତ ସାନ୍ତରାହିଁ ଲେଖିଛନ୍ତି। ଏପରିକି ଫିଲ୍ମରେ ଦେଖିବାକୁ ମିଳିବ କିଛି କୋରାପୁଟିଆ ଢଗଢମାଳି, ଯାହାକୁ ଜୟନ୍ତ ହିଁ ରୂପ ଦେଇଛନ୍ତି। ଫିଲ୍ମର ସୁଟିଂ ସମୟରେ ନିଜେ ନିର୍ଦ୍ଦେଶକ ମିହିର ରଞ୍ଜନ ଆଚାର୍ଯ୍ୟଙ୍କ ପାଖେ ପାଖେ ରହି ଡାଏଲଗଗୁଡ଼ିକ ଉଚିତ୍‌ ଉଚ୍ଚାରଣକୁ ତଦାରଖ କରିଥିଲେ ନିଜେ ଜୟନ୍ତ। ଯଦିଓ ଜୟନ୍ତଙ୍କୁ ଫିଲ୍ମରେ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି କିନ୍ତୁ ଅସଲ ଜୀବନରେ ତାଙ୍କ ଠାରୁ ଜଣେ ମେଳାପି ଓ ଶୃଙ୍ଖଳିତ ବ୍ୟକ୍ତି ଦେଖିନାହାନ୍ତି ବୋଲି ନିର୍ଦ୍ଦେଶକ ମିହିର କୁହନ୍ତି। ତେଣୁ ଫେରିଆ ଜୟନ୍ତ ସାନ୍ତରାଙ୍କ ଫିଲ୍ମ ବୋଲି ପୂରା ଟିମ୍‌ ମୁକ୍ତ କଣ୍ଠରେ ସ୍ବୀକାରକରିଥାଏ।

No comments:

Post a Comment

Why PHERIAA is different- in my point of View

I am speaking all these because I want to convey the message what are the interesting points those had been disturbing me to shape this...